ଲଣ୍ଡନ: ଲଣ୍ଡନର ଗୋଟାଏ ଦୋକାନରେ କାମ କରୁଥିବା ଜଣେ ଯୁବତୀଙ୍କୁ ଜଣେ ଭାରତୀୟ ଯୁବକ ୧୮ ମାସ ପିଛା କରିବା ପରେ ଆଇସେଲ୍ଓ୍ଵର୍ଥ କ୍ରାଉନ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ସମୁଦାୟ ୨୯ ମାସ ଜେଲ୍ ଦଣ୍ଡାଦେଶ ପାଇଛନ୍ତି ବୋଲି ଗୁରୁବାର ଦିନ ପୁଲିସ କହିଛି।
ପିଛା କରିଥିବା ଯୋଗୁଁ ୨୨ ମାସ, ହଇରାଣ କରିଥିବାରୁ ୬ ମାସ ଏବଂ ଅଦାଲତରେ ହାଜର ହୋଇ ପାରି ନ ଥିବାରୁ ୧ ମାସ ଲାଗି ଜେଲ୍ ଦଣ୍ଡାଦେଶ ପାଇଛନ୍ତି ରୋହିତ ଶର୍ମା ନାମକ ସେ ୨୮ ବର୍ଷିୟ ଯୁବକ। ବିଚାରପତି ଆଦେଶ ଦେଇଛନ୍ତି ଯେ ଦଣ୍ଡ ଭୋଗି ସାରିବା ପରେ ଶର୍ମା ନାମକ ସେ ଭାରତୀୟ ନାଗରିକଙ୍କୁ ପ୍ରତ୍ୟାର୍ପଣ କରାଯିବ।
ପୁଲିସ କହିବା ଅନୁସାରେ, ନଭେମ୍ବର ୨୦୧୭ରେ େଓ୍ଵମ୍ବଲିସ୍ଥିତ ଗୋଟାଏ ଦୋକାନରେ କାମ କରୁଥିବା ୨୦ ବର୍ଷୀୟ ସେ ଯୁବତୀଟି ଗ୍ରାହକ ଶର୍ମାଙ୍କୁ କିଛି ଜିନିଷପତ୍ର ପରିବେଶଣ କରିଥିଲେ। ଅଳ୍ପ ସମୟର ଭାବ ଆଦାନ ପ୍ରଦାନ ପରେ ସେଦିନ ଶର୍ମା ନିଜ ବାପାଙ୍କୁ ନେଇ ପୁଣି ସେ ଯୁବତୀଙ୍କ ପାଖକୁ ଯାଇ ବିବାହ ପ୍ରସ୍ତାବ ଦେଇଥିଲେ।
ସେବେଠାରୁ ଶର୍ମା ତାଙ୍କର ପିଛା କରି ଆସୁଥିଲେ। ଚାରିଦିନ ପରେ ଯୁବତୀଜଣକ ସେଠରୁ ଚାକିରି ଛାଡ଼ି ଅନ୍ୟତ୍ର ଚାଲିଗଲେ, କିନ୍ତୁ ଶର୍ମା ଖୋଜି ଖୋଜି ପହଞ୍ଚି ଗଲେ ସେ କାମ କରୁଥିବା ଜାଗାରେ ଏବଂ କୌଣସିମତେ ତାଙ୍କ ଫୋନ୍ ନମ୍ବର ହାସଲ କଲେ ଓ ପୀଡ଼ିତାଙ୍କ ଫୋନ୍, ଟେକ୍ସଟ୍ ଏବଂ ସାମାଜିକ ଗଣମାଧ୍ୟମ ଜରିଆରେ ଅନେକ ବାର୍ତ୍ତା ପ୍ରେରଣ କଲେ।
ଫେବ୍ରୁଆରି ୨୦୧୮ରେ ପୀଡ଼ିତା ଶର୍ମାଙ୍କ ବିରୋଧରେ ପୁଲିସରେ ଏତଲା ଦେବା ପରେ ତାଙ୍କୁ (ଶର୍ମାଙ୍କୁ) ହାରାସ୍ମେଣ୍ଟ୍ ଚେତାବନୀ ଦିଆଯାଇଥିଲା। କିନ୍ତୁ, ଏହା ତାଙ୍କ ଉପରେ କୌଣସି ପ୍ରଭାବ ପକାଇଲା ନାହିଁ ସେ ପୂର୍ବବତ୍ ସେ ଯୁବତୀଙ୍କ ପିଛା କରି ହଇରାଣ ହରକତ କଲେ। ୧୫ଟି ଭିନ୍ନ ନମ୍ବରରୁ ଯୁବତୀଙ୍କ ପାଖକୁ ଦୈନିକ ୪୦ ଥର ଫୋନ୍ କଲ୍ କଲେ ଓ ନିୟମିତ ତାଙ୍କ ଚାକିରି ସ୍ଥାନକୁ ଯାଇ ତାଙ୍କୁ ଦେଖିଲେ। ଜୁଲାଇ ୨୦୧୮ରେ ତାଙ୍କୁ ହାରାସ୍ମେଣ୍ଟ୍ ଚାର୍ଜରେ ଗିରଫ କରାଯାଇ ଜାମିନ୍ରେ ଛାଡ଼ି ଦିଆଯାଇଥିଲା। କିନ୍ତୁ ସେ ପୁଣି ପୂର୍ବଭଳି ପୀଡ଼ିତାଙ୍କ ପିଛା କଲେ। ଏଥିରୁ ନିସ୍ତାର ପାଇବାକୁ ଯୁବତୀ ଜଣକ ଚାକିରି ବାକିରି ଛାଡ଼ି ସେ ଅଞ୍ଚଳରୁ ଅନ୍ୟତ୍ର ଚାଲିଗଲେ।
ଏଥର ଶର୍ମା ପୀଡ଼ିତାଙ୍କ ଜଣାଶୁଣା ଲୋକଙ୍କୁ ପଚରାଉଚୁରା କରି ପୁଣି ତାଙ୍କୁ ଠାବ କଲେ ଓ ହଇରାଣ ହରକତ କଲେ।
ନଭେମ୍ବର ୨୦୧୮ରେ ଅଦାଲତରେ ହାଜର ହୋଇ ନ ପାରିବାରୁ ତାଙ୍କ ପାଇଁ ଗିରଫ ପର୍ଓ୍ଵାନା ଜାରି କରାଗଲା। ଏପ୍ରିଲ୍ ୧୬ ତାରିଖ ୨୦୧୯ରେ ପୁଲିସ ଦ୍ୱାରା ସେ ଗିରଫ ହେଲେ।